ଈଶ୍ୱରଙ୍କ ପାଖକୁ ଚିଠି

 

 

 

 

 

 

 

 

 

 

ଈଶ୍ୱରଙ୍କ ପାଖକୁ ଚିଠି

ଗୋଦାବରୀଶ ମହାପାତ୍ର

 

ଈଶ୍ୱରଙ୍କ ପାଖକୁ ଚିଠି

 

ଏ କଥା ଶୁଣି ତୁମେ ହୁଏତ ସତ କରିବ ନାହିଁ । ସତ କର ବା ନ କର, କଥାଟା ଯେ ସତ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଦିନେ ଜମିଦାରି ତମାମ ଏଇ କଥାଟା ସମସ୍ତଙ୍କ ମୁହଁରୁ ଶୁଣାଗଲା । ଯେ କହିଲା ସେ ହସିଲା, ଯେ ଶୁଣିଲା ସେ ହସିଲା ।

 

ଗଞ୍ଜାମ ଜିଲ୍ଲାର ଗୋଟିଏ ଜମିଦାରି; ଅତି ବଡ଼ ନୁହେଁ କି ଅତି ସାନ ନୁହେଁ । ସେଇ ଜମିଦାରିର ନାଁ ଶୁଣି ତୁମର କିଛି ଲାଭ ନାହିଁ; ନ ଶୁଣିଲେ କିଛି କ୍ଷତି ନାହିଁ ମଧ୍ୟ । ଧର, ନାଁଟା ‘ବଡ଼ଗଣ୍ତ’ । ସେଇ ବଡ଼ଗଣ୍ତ ଜମିଦାରି ଭିତରର ଗୋଟିଏ ଅତି ଗରିବ ଚାଷୀର କଥା ଏ । ଚାଷୀଟି ଏତେ ଗରିବ ଯେ ତା’ କାହାଣୀ ଶୁଣିଲେ ଅନେକ ସମୟରେ କଳ୍ପନା ବୋଲି ମନେ ହେବ । ଦାଣ୍ତରୁ ଆଣିଲେ ଖାଏ, ନ ଆଣିଲେ ଉପାସ ରହେ । ବର୍ଷସାରା ଖରା, ବର୍ଷା, କାକର ସହି ବିଲରେ ଲାଗେ; କିନ୍ତୁ ପେଟ ପୋଷି ପାରେ ନାହିଁ । ଆଦାୟର ପନ୍ଦରପଣରୁ ବେଶୀ ଯାଏ ସାହୁକାର ଓ ଜମିଦାରର ଭାଗକୁ । ଫସଲ ଆଦାୟ କରି ତା’ ପେଟ ପୂରେ ନାହିଁ; ପାଣି ପାଖରେ ରହି ତା’ ଶୋଷ ମରେ ନାହିଁ ।

 

ଦିନେ ସେ ବଡ଼ ସାହସ କରି ବିଚାରିଲା, ସମସ୍ତେ କହୁଚନ୍ତି–ଈଶ୍ୱର ଅଛନ୍ତି, ଈଶ୍ୱର ଦେଉଛନ୍ତି, ଈଶ୍ୱର ନେଉଛନ୍ତି, ଡାକିଲେ ସେ ମଧ୍ୟ ଶୁଣୁଚନ୍ତି; କାହା-କାହାକୁ ଦେଖା ମଧ୍ୟ ଦେଉଚନ୍ତି-। ମୁଁ ତ ସେତେ ଭାଗ୍ୟବାନ ନୁହେଁ; ଆଚ୍ଛା, ତାଙ୍କ ପାଖକୁ ଖଣ୍ତିଏ ଚିଠି ଲେଖେ । ଏହା ଭାବି ଦିନେ ସେ ଚିଠି ଖଣ୍ତିଏ ଲେଖିଲା–

 

ପ୍ରିୟ ଈଶ୍ୱର,

 

ଶୁଣୁଛି, ତୁମର ସବୁ ଅଛି । ତମେ ଟଙ୍କା-ପଇସା କାରବାର ନ କରୁଥିଲେ ମଧ୍ୟ ତୁମେ ସୃଷ୍ଟି କରୁଚ । ସମସ୍ତଙ୍କୁ ତୁମେ ପାଳୁଚ ବୋଲି ଲୋକେ କୁହାକୁହି ହେଉଚନ୍ତି । ତୁମେ ଅନୁଗ୍ରହ କରି ଗଞ୍ଜାମ ଜିଲ୍ଲା ବଡ଼ଗଣ୍ତ ଜମିଦାରୀ ଦିଗଫାଣ୍ତି ଡାକଘର ଠିକଣାରେ ମୋ ପାଖକୁ ଶହେଟି ଟଙ୍କା ଚଞ୍ଚଳ ପଠାଇ ଦିଅ । ମୋତେ ଭୋକ-ଉପାସରୁ ରକ୍ଷାକର ।

 

। ଇତି ।

ଆପଣଙ୍କର ଆଜ୍ଞାଧୀନ

ସୁକୁରିଆ ରାଉତ

 

ସୁକୁରିଆ ଚିଠି ଖଣ୍ତିକ ଲେଖି ସାରି ଦିଗଫାଣ୍ତି ଡାକଘର ଦୁଆରେ ଯାଇ ପହଞ୍ଚିଲା । ସେଠାରେ ଡାକବାଲାକୁ ଦେଖି କହିଲା–‘‘ଏ ଚିଠିଟି ମୋର ନିଅ । ଈଶ୍ୱରଙ୍କର ପୂରା ଠିକଣା ମୋତେ ଜଣା ନାହିଁ । କିଏ କିଏ କହୁଛନ୍ତି ତାଙ୍କ ଠିକଣା–ମୁ । ସ୍ୱର୍ଗ, ପୋ:ଅ:ସ୍ୱର୍ଗ, ଜିଲ୍ଲା : ବୈକୁଣ୍ଠ-। ତୁମେ ଠିକ୍‍ ଜାଣିଥିଲେ କହ । ଡାକବାଲା ନା, ତୁମେ ଜାଣିଥିବ ।’’

 

ସୁକୁରିଆର ଏ କଥା ଶୁଣି ଦିଗଫାଣ୍ତିର ଡାକବାଲା ଟିକିଏ ହସିଲା । କହିଲା - ‘‘ଆରେ ଓଲୁ, ଆମ ଏ ଆଡ଼ର ଚିଠି କ’ଣ ଈଶ୍ୱରଙ୍କ ପାଖକୁ ଯାଏ ? ତୁ ତାଙ୍କୁ ନିଜେ ଯାଇ କହ, ନ ହେଲେ ଆଉ କାହା ହାତରେ ପଠା’ । ଡାକରେ ଏ ଚିଠି ଯାଇ ପାରିବ ନାହିଁ ।’’

 

ଡାକବାଲାର ମୁହଁରୁ ଏ କଥା ଶୁଣି ସୁକୁରିଆ ଭାରି ରାଗିଯାଇ କହିଲା - ‘‘ତୁମେ ତ ଭାରି ଜାଲିଆ ଲୋକ ଦେଖୁଚି ! ତୁମେ କ’ଣ ରଜାଘର ଦରମାଖିଆ ଚାକର କି ? ଏ ଜମିଦାରି ଭିତରେ ତ କେହି ଭଲ ଲୋକ ନାହାନ୍ତି ବୋଲି ଚିଠି ମୁଁ ଖୋଦ ଈଶ୍ୱରଙ୍କ ପାଖକୁ ପଠାଉଚି; ଆଉ କହୁଚ କ’ଣ ନା, କାହା ହାତରେ ପଠାଅ ! ତୁମେ ବଡ଼ ଖରାପ ଲୋକ, ବୁଝୁଚି ।’’

ବାହାରେ ଡାକବାଲା ଓ ସୁକୁରିଆର ଏପରି କଥାବାର୍ତ୍ତା ଘର ଭିତରେ ଡାକମାଷ୍ଟର ବାବୁ ଶୁଣିପାରି ବାହାରକୁ ଆସିଲେ । ସେ ମନେ ମନେ ହସି, ଡାକବାଲାକୁ ଠାରି ଆଡ଼େଇ ଦେଇ ସୁକୁରିଆକୁ ଚାହିଁ କହିଲେ–

‘‘ଆଚ୍ଛା, ଶୁଣ ଶୁଣ । ସେ କିଛି ଜାଣେ ନାହିଁ । ମୁଁ ଠିକଣା ଲେଖି ଦେବି-। ତୁମ ଚିଠି ନିଶ୍ଚୟ ଈଶ୍ୱରଙ୍କ ପାଖକୁ ପଠାଯିବ ।’’

ସୁକୁରିଆ ଖୁବ୍‌ ଆଗ୍ରହପୂର୍ଣ୍ଣ ଦୃଷ୍ଟିରେ ଡାକମାଷ୍ଟରଙ୍କୁ ଚାହିଁ ପଚାରିଲା–

‘‘ଯିବ ? ପଠାଇ ଦେବ ! କ’ଣ ରେଜିଷ୍ଟ୍ରୀ କରିବ ନା ବେରିଂରେ ପଠାଇବ ?’’

ଡାକମାଷ୍ଟ୍ର ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ–‘‘ରେଜିଷ୍ଟ୍ରୀ ହେବ । ରେଜିଷ୍ଟ୍ରୀ ନ କଲେ ତୁମ ଚିଠି କୁଆଡ଼େ ଭୁଲ୍‌ରେ ଯାଇପାରେ । ଦିଅ, ଚିଠି ଦିଅ ।’’

ସୁକୁରିଆର ଆନନ୍ଦର ସୀମା ରହିଲା ନାହିଁ । ସେ ଚିଠିଟି ଡାକମାଷ୍ଟ୍ରଙ୍କ ହାତକୁ ବଢ଼ାଇ ଦେଇ ପଚାରିଲା–‘‘ଆଚ୍ଛା, ଏଥିରେ କେତେ ପଇସା ଲାଗିବ ?’’

ଡାକମାଷ୍ଟ୍ର କହିଲେ–‘‘କେତେ ଲାଗିବ ? ସ୍ୱର୍ଗ ତ ଏଠାକୁ ଅନେକ ବାଟ । ଏତେ ବାଟକୁ ଡାକ ଟିକଟ ଅନେକ ଲାଗନ୍ତା । ମାତ୍ର ଈଶ୍ୱରଙ୍କ ପାଖକୁ ଯିବ ନା; ତାଙ୍କ ଚିଠିରେ ଟିକଟ ଲାଗେ ନାହିଁ, ବିନା ଟିକଟରେ ରେଜିଷ୍ଟ୍ରୀ ହୁଏ । ତେଣୁ ତୁମ ଚିଠିଟି ମାହାଳିଆ ଯିବ ।’’

ସୁକୁରିଆ ଏ କଥା ଶୁଣି ଭାରି ଖୁସି ହୋଇଗଲା । ଡାକବାଲା ଆଡ଼କୁ ମୁହଁ ବୁଲାଇ ଟିକିଏ ଥଟ୍ଟା କରି ହସିଦେଲା । ତା’ପରେ ଡାକମାଷ୍ଟ୍ରଙ୍କୁ ଏକ ଦଣ୍ତବତ ହୋଇ ଖୁସିରେ ଗୀତ ଗାଇ ଗାଇ ଗାଁକୁ ଫେରିଗଲା ।

ଦିଗଫାଣ୍ତି ଡାକମାଷ୍ଟ୍ର ବାବୁଟି ଭାରି ବୁଦ୍ଧିଆ ଲୋକ । ସେ ସୁକୁରିଆର ଚିଠିଖଣ୍ତିକ ବଡ଼ଗଣ୍ତ ରଜାଙ୍କ ପାଖକୁ ପଠାଇ ଦେଲେ । ରଜାଙ୍କ ଦରବାରରେ ଚିଠି ପଢ଼ାଗଲା । ସେଠାରେ ତାହା ଯେ ଶୁଣିଲା ସେ ହସିଲା । ବଡ଼ଗଣ୍ତ ରଜା ବଡ଼ ଅତ୍ୟାଚାରୀ ରଜା । ଚାରିଆଡ଼େ ତାଙ୍କ ଦୁର୍ନାମ ଶୁଣାଯାଉଥିଲା । ସେଥିରୁ ସେ ରକ୍ଷା ପାଇବାକୁ ବାଟ ଖୋଜୁଥିଲେ । ଚିଠି ଶୁଣି କହିଲେ–‘‘ଲୋକଟା ଭାରି ସାଦାସିଧା, ସରଳ । ଆଚ୍ଛା, ତାକୁ ଆମ ଭଣ୍ତାରରୁ କିଛି ଟଙ୍କା ଦେବା । ତାହା ହେଲେ ଆମେ ବଡ଼ ଦୟାଳୁ ରଜା ବୋଲି ଚାରିଆଡ଼େ ପ୍ରଚାର ହେବ ।’’ ଏହା କହି ସେ ଶହେଟି ଟଙ୍କା ମଞ୍ଜୁର କଲେ । ଏଥିରେ ମନ୍ତ୍ରୀ ଓ ପାଖ ଲୋକେ ଆପତ୍ତି ଉଠାଇ କହିଲେ–‘‘ଶହେ ଟଙ୍କା ବେଶୀ ହୋଇଗଲା ।’’ ରଜା ତହୁଁ ପଚାଶ ମଞ୍ଜୁର କଲେ । ବିଚାରିଲେ, ଶହେ ହେଉ ବା ପଚାଶ ହେଉ, ଗରିବ ପ୍ରଜାଙ୍କର ହଠାତ୍‌ ପ୍ରିୟ ହେବାପାଇଁ ଏ ଗୋଟାଏ ଭଲ ବାଟ ।

ଏହି ଘଟାଣାର ସାତଦିନ ପରେ ବଡ଼ଗଣ୍ତ ରଜାଙ୍କ ପାଖେ ଆଉ ଖଣ୍ତିଏ ଚିଠି ଆସି ପହଞ୍ଚିଲା । ସେହି ଚିଠି ଖଣ୍ତିକ ସେହି ସୁକୁରିଆ ଈଶ୍ୱରଙ୍କ ପାଖକୁ ଲେଖିଥିଲା । ସେଥିରେ ଲେଖାଥିଲା–

ପ୍ରିୟ ଈଶ୍ୱର,

 

ତୁମେ ପଠାଇଥିବା ଟଙ୍କା ପାଇ ତୁମକୁ ଧନ୍ୟବାଦ ଦେଉଚି । ତୁମେ ମୋତେ ଏଣିକି କେବେ ସାହାଯ୍ୟ କଲେ ଟଙ୍କାଟାକୁ ସିଧା ସିଧା ମୋ ପାଖକୁ ପଠାଇବ । କାରଣ, ଆମର ରଜା ସବୁଥିରେ ଅଧେ ନିଜେ ରଖି ଅଧେ ରଇତଙ୍କୁ ଦିଅନ୍ତି । ଆମ ବିଲରେ ଧାନ ହେଲେ ସେ ନିଅନ୍ତି ଅଧେ, ଆମେ ନେଉ ଅଧେ । ଅଧେ ନ ନେଇ ସେ କେବେହେଲେ ଛାଡ଼ନ୍ତି ନାହିଁ । ଆଜି ମୁଁ ଯେଉଁ ପଚାଶ ଟଙ୍କା ପାଇଲି, ସେ ନିଶ୍ଚେ ଅଧେ ରଖି ଏତକ ପଠାଇଛନ୍ତି । ଆରଥର ଟଙ୍କା ପଠାଇଲା ବେଳକୁ ତୁମେ ଟିକିଏ ତଦନ୍ତ କରି ବୁଝିବ, ଆମେ ବଡ଼ଗଣ୍ତ ଜମିଦାରୀର ପ୍ରଜାମାନେ ରଜାଙ୍କୁ ଅଧାକୁ ଅଧା ଭାଗ ଦେଇ କି ଦୁଃଖରେ ଅଛୁ । ଟଙ୍କା ପଠାଇଲେ ନିଜ ଲୋକ ଦେଇ ଟଙ୍କା ପଠାଇବ ସିନା, ଏ ଚାଲୁକାର କାହା ହାତରେ ହେଲେ ପଠାଇବ ନାହିଁ ।

☆☆☆

 

ପୃଥିବୀରେ ମଣିଷ ଅଛନ୍ତି ?

(୧)

 

ଦିନେ ସ୍ୱର୍ଗରେ ଖୁବ୍‌ ଚହଳ ପଡ଼ିଲା । କିଛିଦିନ ଧରି ପୃଥିବୀ ସମ୍ବନ୍ଧରେ ନାନା ଅପବାଦ ପ୍ରଚାରିତ ହେବା ଫଳରେ ଦେବତାମାନଙ୍କ ଭିତରେ ହୁଳସ୍ଥୂଳ ପଡ଼ିଗଲା । ଶେଷରେ ବ୍ରହ୍ମାଙ୍କ କାନଯାଏ ଖବର ଗଲା । ବ୍ରହ୍ମା ପ୍ରଥମେ ପ୍ରଥମେ ସେ କଥାକୁ ଆଦୌ କାନୋଉ ନଥିଲେ । କିନ୍ତୁ ବେଳକୁ ବେଳ କଥା ପ୍ରବଳ ହେବାରୁ ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ଦିନେ ଚିତ୍ରଗୁପ୍ତଙ୍କ ଅଫିସରେ ହାଜର ହୋଇ ପଚାରିଲେ–‘‘କିହୋ, ଏସବୁ କ’ଣ ଶୁଣା ଯାଉଛି ?’’

 

ଦୁଇ ପରସ୍ତ ଚଷମା ମଡ଼ା ହୋଇଥିବା ଆଖି ଦୁଇଟାକୁ ମର୍ତ୍ତ୍ୟପୁରର ଜନ୍ମମରଣ ହିସାବ ଖାତାଆଡ଼ୁ ଉଠାଇ ଚିତ୍ରଗୁପ୍ତ ଉତ୍ତର ଦେଲେ–‘‘ଯାହା ଶୁଣା ଯାଉଛି କିଛି ନୁହେଁ; କେବଳ ଆପଣଙ୍କ ଶାସନର ଅପବାଦ, ଦୁର୍ନାମ ପାଇଁ ଏ ଏକ ପ୍ରଚାର ମାତ୍ର ।’’

 

ବ୍ରହ୍ମା କହିଲେ–‘‘ଏପରି କହିଦେଲେ ଚଳିବ କିପରି ? ତୁମେ ନିଜେ ଯାଇ ଗୋଟାଏ ଏନ୍‌କ୍ୱାରୀ କରି ଆସ । ସେଥିରେ ତ ତୁମର ଲାଭ ଛଡ଼ା କ୍ଷତି ନାହିଁ । ବେଶ୍‌ ଦୁଇପଇସା ମିଳିବ । ଦରମା ଉପରେ କୁବେରଙ୍କ ଗନ୍ତାଘରୁ ଯିବା ଆସିବା ଦୁଇ ପିଠି ଟ୍ରଭଲିଙ୍ଗ୍ ଆଲାଉନ୍‍ସ ପାଇବ । ପୁଣି, ମର୍ତ୍ତ୍ୟ ଲୋକର ଆମଦାନୀ କଥା ଛାଡ଼ । ବୁଲି ଆସିଲେ ପଇସା !’’

 

ଚିତ୍ରଗୁପ୍ତ ଖୁବ୍‌ ଖୁସି ହୋଇ, ଜନ୍ମ-ମରଣ ହିସାବ ଖାତାପତ୍ର ବାନ୍ଧୁ ବାନ୍ଧୁ କହିଲେ, ‘‘ମୁଁ ତ ଯିବାକୁ ପଛାଉ ନାହିଁ; ଅଯଥା ଖର୍ଚ୍ଚକୁ ଭୟ କରୁଥିଲି ମାତ୍ର । ଏକଥା ସତ ଯେ ମର୍ତ୍ତ୍ୟପୁରରେ ମଣିଷ ନାହାନ୍ତି ବୋଲି ଯେ ଦୁର୍ନାମ ପ୍ରଚାର ହେଉଚି, ତାହା ଆଦୌ ଠିକ୍‌ ନୁହେଁ । ମୁଁ ଛାତିରେ ହାତ ଦେଇ, ଆଖି ଛୁଇଁ ହଲପ କରି କହିପାରେ ଯେ ମନୁଷ୍ୟ ସମାଜ ମର୍ତ୍ତ୍ୟରୁ ଲୋପ ହୋଇ ନାହାନ୍ତି-। ଦେଖନ୍ତୁ, ହତ୍ୟାକାଣ୍ତ, ବ୍ୟଭିଚାର, ଚୋରି, ଡକାୟତି, ନାରୀହରଣ, ଧର୍ମାନ୍ତରଗ୍ରହଣ, ଗୃହଦାହ, ପକେଟମାରୁ, ରାଜନୀତିକ ମାରପିଟ, ଅର୍ଥନୈତିକ ତସ୍କରତାଠାରୁ ଆରମ୍ଭ କରି ମନୁଷ୍ୟଙ୍କ ଦ୍ୱାରା ହୋଇପାରିବା ଭଳି ସକଳ ପ୍ରକାର କାର୍ଯ୍ୟ ଯଥା ବିଧି ମର୍ତ୍ତ୍ୟପୁରରେ ଦିନରାତି ୨୪ଘଣ୍ଟା ସମାନ ଭାବରେ ଚାଲିଛି । ସ୍ୱତନ୍ତ୍ର ତା’ର ସମ୍ବାଦ ଆସିଚି । ଯଦି ବିଶ୍ୱାସ ନ କରିବେ ଆଜି ସ୍ୱତନ୍ତ୍ର ବେତାର ସମ୍ବାଦ ଆଣିବା ବ୍ୟବସ୍ଥା କରାଯିବ । ନ ହେଲାବେଳକୁ ଦୈନିକକାଗଜର ନିଜସ୍ୱ ପ୍ରତିନିଧିଙ୍କୁ ତଲବ କରି ଆଣିବାକୁ ହେବ ।’’

 

ଏହା ପରେ ବ୍ରହ୍ମା ଫାଇଲ ଦେଖି ଭାରତବର୍ଷର କେତୋଟା ପ୍ରଦେଶ ଉପରେ ଆଖି ବୁଲେଇ ଦେଇ ଜାଣିପାରିଲେ–

 

ପଞ୍ଜାବରେ ହିନ୍ଦୁ ବଧ ଶତକରା ୯୦

ସୀମାନ୍ତରେ ସୀମନ୍ତିନୀ ହରଣ - ଶତକରା ୮୦

ବିହାରରେ ମାରଧର ଶତକରା - ୭୦

 

ଏହାଛଡ଼ା ଯୁକ୍ତ ପ୍ରଦେଶରେ ସାଂପ୍ରଦାୟିକ ବିଷ, କେରଳରେ ହରିଜନ ଦ୍ୱେଷ, ବମ୍ୱେରେ ବ୍ରାହ୍ମଣ ନାଶ, ବଙ୍ଗରେ ଜାଗ୍ରତ ବୋଷ, ଓଡ଼ିଶାରେ ନେତୃତ୍ୱ ହ୍ରାସ କଥା ସବୁ ବୁଝିଲେ । ତଥାପି ଆହୁରି ସତ୍ୟାସତ୍ୟ ଜାଣିବା ପାଇଁ ଚିତ୍ରଗୁପ୍ତଙ୍କୁ ମର୍ତ୍ତ୍ୟକୁ ପଠାଇବା ସ୍ଥିର କଲେ । କିନ୍ତୁ ସମଗ୍ର ମର୍ତ୍ତ୍ୟ ବୁଲିଯିବାକୁ ବହୁଦିନ ଲାଗିପାରେ; ତେଣୁ ସେ ସ୍ୱତନ୍ତ୍ର ଆଦେଶ ଦେଲେ ଯେ, ଏ ଗସ୍ତରେ କେବଳ ଭାରତବର୍ଷ ବୁଲି ଚଞ୍ଚଳ ରିର୍ପୋଟ ଦିଅ । ସେଥିରେ ମର୍ତ୍ତ୍ୟର ଅବସ୍ଥା ଅନେକ ପରିମାଣରେ ଜାଣି ହେବ ।

☆☆☆

 

(୨)

 

କିଛିଦିନ ପରେ ଚିତ୍ରଗୁପ୍ତଙ୍କଠାରୁ ବ୍ରହ୍ମାଙ୍କ ନିକଟକୁ ରିର୍ପୋଟ ଆସିଲା–

 

ପୃଥିବୀପୃଷ୍ଠରୁ ମାନବ-ସମାଜ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ । ମୁଁ ସାହସ ନ ହରାଇ ନାନା ସହର, ଗ୍ରାମ, ଜନପଦ, ଜିଲ୍ଲା, ପ୍ରଦେଶ, ରାଜଧାନୀ, ଜମିଦାରଙ୍କ ଉଆସ, ଦରିଦ୍ରଙ୍କ କୁଡ଼ିଆ, ସାଧାରଣ ପାଠାଗାର, ଅସାଧାରଣ ଉଦ୍ୟାନନିବାସ ସବୁ ବୁଲିଗଲି । ଯାହାଙ୍କୁ ଦେଖିଲି ତାଙ୍କୁ ପଚାରିଲି –

 

‘‘ମହାଶୟ, ଆପଣ କିଏ ?’’

 

ଉତ୍ତର ମିଳିଲା–‘‘ମୁଁ ବାମପନ୍ଥୀ ।’’

 

ଏଭଳି ପ୍ରତ୍ୟେକଙ୍କୁ ପଚାରିଲି–

 

‘‘ଆପଣ ?’’

 

‘‘ମୁଁ ଦକ୍ଷିଣ ପନ୍ଥୀ ।’’

 

‘‘ଆପଣ ?’’

 

‘‘ଉଗ୍ର ପନ୍ଥୀ ।’’

 

‘‘ଆପଣ ?’’

 

‘‘ଅନୁଗ୍ରହ ପନ୍ଥୀ ।’’

 

‘‘ଆପଣ ?’’

 

‘‘ତଟସ୍ଥପନ୍ଥୀ ।’’

 

‘‘ଆପଣ ?’’

 

‘‘ସାମ୍ୟବାଦୀ ।’’

 

‘‘ଆପଣ ?’’

 

‘‘ଅରାଜକ ବାଦୀ ।’’

 

‘‘ଆପଣ ?’’

 

‘‘ପ୍ରଲେଟେରିଆନ୍‌ ।’’

 

‘‘ଆପଣ ?’’

 

‘‘ବଳସେବୀ ।’’

 

‘‘ଆପଣ ?’’

 

‘‘ହରିଜନ ସେବକ ।’’

 

ଏହିଭଳି ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ କମ୍ୟୁନିଷ୍ଟ, ସୋସ୍ୟେଲିଷ୍ଟ, ଫାସିଷ୍ଟ, ଫେଡ଼େରେସନିଷ୍ଟ, ରିପ୍ଲବିକାନ୍‌, କ୍ରାନ୍ତିବାଦୀ, ସୁବିଧାବାଦୀ, ସୁଧାରବାଦୀ, ସମାଜତନ୍ତ୍ରୀ, ରାଜତନ୍ତ୍ରୀ, ସାମ୍ରାଜ୍ୟତନ୍ତ୍ରୀ, ସନାତନତନ୍ତ୍ରୀ, ମନ୍ତ୍ରୀତନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଜସ୍ୱମନ୍ତ୍ରୀ ବୋଲି ପରିଚୟ ପାଇବା ଛଡ଼ା ମନୁଷ୍ୟ ଶବ୍ଦର ଗନ୍ଧ ସୁଦ୍ଧା ପାଇଲି ନାହିଁ । କିନ୍ତୁ ମୁଁ ତ ସହଜରେ ହଟିଯିବା ଜୀବ ନୁହେଁ, ସେହିପରି ପଚାରିବାରେ ଲାଗିଲି–

 

‘‘ଆପଣ ?’’

 

‘‘ସୋଭିଏଟିଷ୍ଟ ।’’

 

‘‘ଆପଣ ?’’

 

‘‘ଜର୍ଣ୍ଣାଲିଷ୍ଟ ।’’

 

‘‘ଆପଣ ।’’

 

‘‘ରିପୋର୍ଟାର ।’’

 

‘‘ଆପଣ ?’’

 

‘‘ଫୁଟ୍‌ବଲାର ।’’

 

‘‘ଆପଣ ?’’

 

‘‘ସୁଇମର୍‌ ।’’

 

‘‘ଆପଣ ?’’

 

‘‘ଫେରାର ।’’

 

‘‘ଆପଣ ?’’

 

‘‘ବେକାର ।’’

 

‘‘ଆପଣ ?’’

 

‘‘ଫିଲ୍‌ମଷ୍ଟାର୍‌ ।’’

 

‘‘ଆପଣ ?’’

 

‘‘ପକେଟମାର୍‌ ।

 

ଠାଏ ଦେଖିଲି ଦଳେ ଲୋକ ଦଉଡ଼ି ଦଉଡ଼ି ଆସୁଛନ୍ତି । ତାଙ୍କୁ ପଚାରିଲି–‘‘ଆପଣମାନେ ଧାଉଛନ୍ତି କାହିଁକି ?’ ଉତ୍ତର ମିଳିଲା, ଧାଇଁବା ଆମର ‘କ୍ରୀଡ଼୍‍’; ଆମେ ହେଉଛୁ ‘ପ୍ରଗତିପନ୍ଥୀ‘ । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରି ଦେଲି - ‘‘ତାହାହେଲେ କ’ଣ ଏ ଦେଶରେ କେହି ‘ମଣିଷ’ ନାହାନ୍ତି ?’’

 

ମୋ ପ୍ରଶ୍ନ ଶୁଣି ସେମାନେ ଠୋ-ଠୋ ହସିଉଠିଲେ । କହିଲେ–‘‘ଆରେ, ଏ ପାଗଲାଟାର କଥା ଶୁଣ । ବିଂଶ ଶତାବ୍ଦୀରେ ମର୍ତ୍ତ୍ୟରେ ମଣିଷ ଆସିବେ କୁଆଡ଼ୁ ? ଦିନ ଥିଲା, ଊନବିଂଶ ଶତାବ୍ଦୀରେ ଏ ଦେଶରେ ମନୁଷ୍ୟର ସତ୍ତା ଥିଲା । ଏବେ ଚିଡ଼ିଆଖାନା ନାମକ ସ୍ଥାନରେ ଜଣେ ଅଧେ ମଣିଷ ଅଛନ୍ତି ।’’

 

ଏ କଥା ଶୁଣି ମୋ ପିଣ୍ଡରେ ପ୍ରାଣ ପଶିଲା । ମୁଁ ସଙ୍ଗେ ସଙ୍ଗେ ଚିଡ଼ିଆଖାନାକୁ ଧାଇଁଲି-। ସେଠାରେ କେତେଗୁଡ଼ିଏ ଜୀବଙ୍କୁ ଦେଖିଲି ଯାହାଙ୍କ ନାମ କି ‘ବଣମଣିଷ’ । ତେଣୁ ଆପଣ ବୁଝନ୍ତୁ ମର୍ତ୍ତ୍ୟରୁ ‘ମଣିଷ’ ସମାଜ ଲୋପ ହୋଇ ନାହିଁ, ଏ ପର୍ଯ୍ୟନ୍ତ ଚିଡ଼ିଆଖାନାରେ ‘ମଣିଷ’ର ନାମ ରହିଚି ।’’

☆☆☆

 

ଗଛ କ’ଣ କହିଲା ?

 

ଦିନେ ମୁଁ ମରିଗଲି ।

 

ମୁଁ ମରିବା ଆଗରୁ ମୋ ସ୍ତ୍ରୀ ମୋ ସହିତ ଛଳନା ଖେଳିଲା ।

 

ମୁଁ ମରିବାର କାରଣ ହେଲା ମୋ ପ୍ରତି ମୋ ସ୍ତ୍ରୀର ଛଳନା ।

 

ମୁଁ ଆଗେ ଥିଲି ବଡ଼ ସରଳ ବିଶ୍ୱାସୀ । ମାତ୍ର ସ୍ତ୍ରୀର ଛଳନା ଜାଣିପାରି ଜୀବନ ପ୍ରତି ମାୟାମମତା କାଟି ଦେଇ, ଘରଦ୍ୱାରକୁ ନ ଚାହିଁ, ଦିନେ ଜୀବନର ଯେ ପ୍ରଣୟିନୀ ଥିଲା ତା’ ଆଡ଼କୁ ମୁହଁ ସୁଦ୍ଧା ନ ବୁଲାଇ ଚାଲିଗଲି । ଗଲି ଗୋଟାଏ ଗଛ ମୂଳକୁ । ଗଛରେ ଚଢ଼ି ବେକରେ ଦଉଡ଼ି ଦେଲି !

 

ତା’ପରେ ମୋର ଅବସ୍ଥା କ’ଣ ହେଲା, କିଏ ଜାଣ ?

 

ବୋଧହୁଏ ଜାଣି ନାହଁ । ଶୁଣ । ସେହିଠାରେ ମୋର ଶବ ପଚିସଢ଼ି ମାଟି ପାଲଟିଗଲା-। ସେଇ ମାଟି ଧୂଳି ହୋଇଗଲା । ବାସ୍ତବିକ ମୋ ଦେହଟା ଥିଲା ‘‘ମାଟିର ଏ ମର କଳେବର-!’’

 

ଧରଣୀ ବୁକୁରେ ଧୂଳିରେଣୁ ମୁଁ ହେଲି । ତା’ପରେ ଦିନେ ବର୍ଷା ହେଲା । ପାଣିରେ ମିଶିଗଲି । ପୃଥିବୀ ମୋତେ ଆଦରରେ ଗ୍ରହଣ କଲା, ଶୋଷି ନେଲା । ସେତିକିବେଳେ ମୋ ଦେହ କମ୍ପି-ଉଠିଲା ! ସତେ ଯେପରି ମୋ ପିଣ୍ଡରେ ପ୍ରାଣ ପଶିଲା ! ସାରଯୁକ୍ତ ଖତରୂପେ ମୁଁ ଗୋଟାଏ ଛୋଟ ଗଛର ଖାଦ୍ୟ ହେଲି । ମୋତେ ପାଇ ଗଛଟି ଖୁବ୍‌ ଆନନ୍ଦରେ ଛନ ଛନ ହେଲା ।

 

ଏହି ସମୟରେ ମୋ ଜୀବନ ବଡ଼ ସୁଖମୟ ହେଲା । ଗଛର ଶ୍ୟାମଳ କଅଁଳ ପତ୍ର ପବନରେ କମ୍ପି-ଉଠିଲା । ମଣିଷରୁ ଧୂଳି ହେଲି ! ଧୂଳିରୁ ଗୋଟାଏ ଗଛରେ ପରିଣତ ହେଲି !

 

ଏହା ପରେ ବସନ୍ତ ଆସିଲା । ମଧୁର ପବନ ବହିଲା । ମୋ’ରି ପାଖ ପଡ଼ିଶାରେ ଥିବା ତରୁଲତା ପଲ୍ଲବୀ ଉଠିଲେ । ମୁଁ ମଧ୍ୟ ହସି ଉଠିଲି । ମୋର ପତ୍ର କଅଁଳିଲା, ଫୁଲ ଫୁଟିଲା, ଜୀବନଟା ମୋର ଅପୂର୍ବ ଶୋଭାରେ ମାତି ଉଠିଲା । ମୁଁ ମହିମାମୟ ହୋଇ ଉଠିଲି !

 

ମୁଁ ହେଲି ଏକ ଗଛ । ମୋତେ ଯେ ଦେଖିଲା ସେ ସୁଖ ପାଇଲା । କୀଟ ପତଙ୍ଗ ମୋ ଦେହରେ ଲାଗି ରହିଲେ । ପକ୍ଷୀ ଉଡ଼ି ଆସି ମୋ’ରି କୋଳରେ ବସି ଗୀତ ଗାଇଲେ । କେତେ ବସା ବାନ୍ଧି ରହିଲେ । ମଣିଷ ଆସି ମୋ’ରି ଛାଇ ତଳେ କ୍ଳାନ୍ତି ଭାଙ୍ଗି ଖୁସି-ଗପ କରିଚାଲିଲେ-। କୋଇଲିର ଗାନ, ଭ୍ରମରର ଗୁଞ୍ଜନ ମୋତେ ଅପୂର୍ବ ଆନନ୍ଦ ଦେଲା ।

 

ହଠାତ୍ ଦିନେ ଏକ ସନ୍ଧ୍ୟାରେ ଛାଇ-ଛାଇଆ ଆଲୋକ ଭିତରେ ଜଣେ ସ୍ତ୍ରୀଲୋକ ମୋ’ରି ପାଖରେ ଆସି ଠିଆହେଲା । ତା’ ଆଖିରେ ଲୁହ ନ ଥିଲା । ତା’ ଦେହରେ ଅଳଙ୍କାର ଥିଲା-। ତେଣୁ ମୁଁ ଜାଣିପାରିଲି ସେଇ ମୋର ପ୍ରଣୟିନୀ !

 

ମୋ’ରି ପ୍ରଣୟିନୀ ମୋତେ ଜାକି ଧଇଲା ହାତ ବଢ଼େଇ । ସଙ୍ଗେ ସଙ୍ଗେ କିଏ ଜଣେ ପ୍ରେମିକ ତାକୁ ଆସି କୋଳକୁ ନେଇଗଲେ । ସେଇ କାରଣରୁ ମୁଁ ବୁଝିଲି ଯେ, ସେ ମୋର ସ୍ତ୍ରୀ ଥିଲା । ସେ ଦୁହେଁ ମୋ’ରି ଦେହକୁ ଆଉଜି କେତେ କ’ଣ ପ୍ରେମାଳାପ କଲେ । କଥା କହୁ କହୁ ନଖରେ ମୋ ଦେହ ଖୋଳି ପକାଇଲେ । ମୁଁ ଗଛଟା କିଛି ବୁଝିପାରୁ ନାହିଁ ବୋଲି ମନେକରି ସେମାନେ ମନବୋଧ କରି କଥାବାର୍ତ୍ତା ହେଲେ–ହସିଲେ, ମାନ ଅଭିମାନ କଲେ ।

 

ବସନ୍ତ ଗଲା । ଖରା ହେଲା । ବର୍ଷା ଶେଷ ହେଲା । ଶରତ ଆସିଲା । ପୁଣି ଦୁଇଜଣ ମୋ’ରି ପାଖକୁ ଆସିଲେ । ହାତକୁ ହାତ ଛନ୍ଦି, କାନ୍ଧକୁ କାନ୍ଧ ଲଗେଇ, କେତେବେଳେ ମୁହଁ ପୋତି, କେତେବେଳେ ମୁହଁ ଟେକି ଦୁହେଁ ଚାଲି ଚାଲି ଆସିଲେ । କିନ୍ତୁ ଯେଉଁ ପୁରୁଷ ଏଥର ଆସିଲେ ସେ ମୋର ସ୍ତ୍ରୀଙ୍କ ନୂତନ ସ୍ୱାମୀ ନୁହନ୍ତି; ନୂତନ ପରିଚିତ ବନ୍ଧୁ !

 

ମୋର ସମଗ୍ର ଫଳ, ପତ୍ର, ପୁଷ୍ପ ସେମାନଙ୍କ ଅଜାଣତରେ କମ୍ପି ଉଠିଲା । ମୋର କାଠର ଜୀବନଟା ସତେ ଅବା କ୍ଷଣକାଳ ତରଳିଗଲା ! ମୁଁ ମୋର ଡାଳପତ୍ର ହଲେଇ ଦେଇ ମାନବର ଅବୋଧ୍ୟ ଭାଷାରେ କହିଲି–‘‘ନାରୀ, ନାରୀ, ତୁମେ କ’ଣ ଏ ପଥ ଛଡ଼ା ଆଉ ଅନ୍ୟ ପଥ ଜାଣ ନାହିଁ ? ତୁମର ଏ ଢଙ୍ଗ କି ବଦଳିବ ନାହିଁ ?’’

 

ଏହା ପରେ ଦିନେ ମୋ ସ୍ତ୍ରୀର ସ୍ୱାମୀ ଆସିଲେ । ସେ କିନ୍ତୁ ଆସିଲେ ଏଥର ଏକାକୀ । ମନରେ ତାଙ୍କର ଗଭୀର କ୍ରୋଧ, କ୍ଷୋଭ ଥିଲା । ନିଜକୁ ଅଭାଗା ବୋଲି ସେ ମନେ କରୁଥିଲେ । ସେ କାନ୍ଦିଲେ । ଅଭିଶାପ ଦେଲେ । ମୋ’ରି ପାଖେ ଠିଆ ହୋଇ କ’ଣ ଭାବି ଭାବି ନଖରେ ମୋ ଦେହର ବକଳା ଖୋଲିଲେ । ତାଙ୍କୁ ଯେ ପ୍ରଣୟିନୀ ଠକିଛନ୍ତି–ଏ କଥା ତାଙ୍କ ପ୍ରାଣକୁ ବାଧୁଥିଲା । ମୋତେ ମଧ୍ୟ ଏ କଥା ବଡ଼ ବାଧିଲା । ଏହି ବନ୍ଧୁଙ୍କ ପାଇଁ ମୋ ପ୍ରାଣରେ ବଡ଼ ସହାନୁଭୂତି ଦେଖା ଦେଲା । ଅନେକ ଦିନ ତଳୁ ଏପରି କଥା ଦେଖି ମୋ ହୃଦୟ କାଠ ପାଲଟି ଯାଇଥିଲେ ମଧ୍ୟ ମୁ ଥରେ ଦେଖି ସମ୍ଭାଳି ପାରିଲି ନାହିଁ । ସାଇଁ ସାଇଁ ଶବ୍ଦରେ ଦୀର୍ଘ-ନିଶ୍ୱାସ ଛାଡ଼ିଲି ।

 

ଏହା ପରେ ବର୍ଷେ ଗଲା । ଏଇ ଦୁଇ ବନ୍ଧୁ ପୁଣି ଥରେ ମୋ ପାଖକୁ ଆସିଲେ । ମୋତେ ଆଉଜି ଠିଆ ହେଲେ । ସେ କାନ୍ଦିଲେ, ଚିତ୍‌କାର କଲେ, ମୋ ଚାରିପଟେ ବୁଲିଲେ ବୁଲିଲେ, ଚାଲିଗଲେ; ପୁଣି ଫେରିଆସିଲେ । ତା’ପରେ ମୋ’ରି ଉପରେ ଚଢ଼ି ମୋ’ରି ଦେହରେ ଖଣ୍ଡିଏ ଦଉଡ଼ି ବାନ୍ଧିଲେ । ମୁଁ ଥରିଗଲି ।

 

ମାତ୍ର ସେଥର ସେ ଫେରିଗଲେ; ବେକରେ ଦଉଡ଼ି ଦେଲେ ନାହିଁ । ପୁଣି ଦିନେ ଫେରିଆସି ଦଉଡ଼ି ଖୋଜିଲେ । ବର୍ଷା ଝରୁଥିଲା, ଜଗତ କାନ୍ଦୁଥିଲା, ମୋର ଦେହ ଥରୁଥିଲା; ସେ ତାଙ୍କ ଦଉଡ଼ିଟା ଖୋଜି ପାଇଲେ ନାହିଁ । ଖଣ୍ଡିଏ ସୁନ୍ଦର ସରୁ ଚଦର କାଢ଼ିଲେ । ମୁଁ ତାହା ଦେଖି ବେଶ୍‌ ଚିହ୍ନିପାରିଲି । ଦିନେ ହଳେ ବନାରସୀ ପାଟ ମୁଁ ଆଣିଥିଲି । ତା’ରି ଚଦର ସେଟି । ତାକୁ ଧରି ଦିନେ ଅତୀତରେ ହସି ହସି ମୋର ସେଇ ଦିନର–ସେଇ ଅତୀତର ପ୍ରଣୟିନୀକୁ ପ୍ରେମରେ ବାନ୍ଧିଥିଲି ! ତେଣୁ ଚିହ୍ନିଲି ସେଇ ମୋର ଚଦର ।

 

ସେ ମୋ’ରି ଉପରେ ଚଢ଼ି ମୋ’ରି ଚଦରକୁ ମୋର ଏକ ମୋଟା ମଜବୁତ ଡାଳରେ ବାନ୍ଧିଲେ । ତଥାପି ମୁଁ ଆନନ୍ଦ ଅନୁଭବ କରିପାରିଲି ନାହିଁ; ବରଂ ଦୁଃଖରେ ମୁଣ୍ଡ ଲଇଁଗଲା । ମୋ ବୁକୁକୁଶୂଳ ବିନ୍ଧିଲା, ଯଦିଚ ବୁକୁଟା ମୋର କାଠ ପାଲଟି ଯାଇଥିଲା । ମୁଁ ସେତବେଳେ ମନେକଲି, ସତେ ଯେପରି ନିଜ ବେକରେ ମୁଁ ଦଉଡ଼ି ଦେଇ ପ୍ରାଣ ହରାଉଚି !!

 

ପବନ ବହିଗଲା ।

 

ତରୁପତ୍ର ଦୋହଲିଗଲା ।

 

ବନ୍ଧୁଙ୍କର ପ୍ରାଣବାୟୁ ଉଡ଼ିଗଲା ।

 

ମୁଁ ଗଛ-। କାଠ ପରି ଠିଆ ହୋଇ ସବୁ ଦେଖିଲି !

☆☆☆

 

ଗଧିଆ କ’ଣ କହିଲା ?

 

ଗଧିଆର ଥାନ ଜଙ୍ଗଲ ଭିତରେ । ସନ୍ଧ୍ୟା ହେଲେ ଗଧିଆ ଜଙ୍ଗଲରୁ ବାହାରି ପଦାକୁ ଆସେ । ଛେଳି ଗୋଠ ପାଖେ ଲେପ୍‌ଟି ପଡ଼ିରହେ । ଜଗାଳି ଶୋଇ ରହିଲେ ଗୋଟାଏ ଦୁଇଟା ଝାମ୍ପି ନେଇଯାଏ ।

 

ଗଧିଆ ଆସେ ଗାଁ ପାଖକୁ । ଗାଁ ଯେତେବେଳେ ନିଃଶବ୍ଦ ହୁଏ ବିରାଡ଼ିଟାଏ କୁକୁରଟାଏ ସେ ଖୋଜି ବୁଲେ । କାହା-କାହାର ବାଡ଼ିପଟ ଗୁହାଳରେ ପଶି ବାଛୁରୀଟାଏ ବି ଚିପିଦଏ ।

 

ଗଧିଆ ଦିନେ ଧରା ପଡ଼ିଲା । ଯନ୍ତା ଭିତରେ ଲୋକେ ତାକୁ ଧରିଆଣି ବିଚ୍‌ ଦାଣ୍ଡରେ ରଖିଲେ । ପିଲାଏ ତାକୁ ଟେକା ମାଇଲେ, ବାଡ଼ି ଗେଞ୍ଜିଲେ, ଖତେଇ ହେଲେ । ଉପାସରେ ତା’ ପେଟ ଜଳିଲା । ଆଖିରୁ ତା’ର ଲୁହ ବୋହିଲା । ରାଗରେ ତା’ର ଦେହ ଥରିଲା । ଛେଳି, କୁକୁର, ବାଛୁରୀ ଅଭାବରେ ତା’ର ମୁନିଆଁ ଦାନ୍ତମୂଳ ସବୁ ଶୂଳେଇ ହେଲା ! ସେ ଯନ୍ତାକୁ ରାମ୍ପୁଡ଼ିଲା, ବାଡ଼କୁ ଧକ୍‌କା ମାଇଲା, ଲାଙ୍ଗୁଡ଼ ହଲେଇ ବେଳେବେଳେ ପଡ଼ି ରହିଲା ଲମ୍ପମାରି ଚାଲିଯିବାକୁ । ଲୋକେ ଯନ୍ତା ପାଖେ ବସି ଖବରକାଗଜ ପଢ଼ିଲେ, ଯୁଦ୍ଧକଥା ପକାଇଲେ । ଆକାଶରେ ବ୍ୟୋମଯାନ ଗର୍ଜନ କରି ଉଡ଼ିଗଲା । ବୁଲାବିକାଳି କାହୁଁ ଆସି ଚାରି ଗୁଣ ଦରଦାମ ବଢ଼ାଇ ଜିନିଷର ନାଁ ଗାଇ ଦେଇ ଚାଲିଗଲା । ନାହାକ ଆସି କହିଦେଲା–ଏ ବର୍ଷର ଫସଲ ସାତଭାଗ, ମଶା ଆଠଭାଗ, ରୋଗ ଛ’ଭାଗ, ଅପମୃତ୍ୟୁ ବାରଭାଗ, ଅଭାବ ଷୋଳଭାଗ । ସମସ୍ତେ ଏକମନ ଏକ ଧ୍ୟାନରେ ଏକଥା ଶୁଣି କୁହାକୁହି ହେଲେ । ମାତ୍ର ଗଧିଆ ଯନ୍ତା ଭିତରେ ଥାଇ ମନେ ମନେ କହିଲା–‘‘ହେ ଭଗବାନ, ଏ ମଣିଷଗୁଡ଼ାକ କେବେ ଗଧିଆ ପାଲଟିବେ; ସଂସାରରେ ଶାନ୍ତି ବିରାଜିବ !’’

 

ଗଧିଆ ଏ କଥା ମନେ ମନେ କାହିଁକି କହିଲା ତାହା ରାତିକି ଜଣା ପଡ଼ିଲା । ଗାଁର ସମସ୍ତେ ଯେତେବେଳେ ଘୋର ନିଦ୍ରାରେ ବୁଡ଼ିରହିଲେ; ଅନ୍ଧାର ଛଡ଼ା ଆଲୁଅ କେଉଁଠି ନ ଥିଲା, ସେତିକିବେଳେ ଗଧିଆ ପାଟିକରି କହିଲା–

 

‘‘ହେ ମଣିଷ ! ମତେ କହୁଛ ହିଂସ୍ର, ମତେ କହୁଛ ଦୁଷ୍ଟ-! କଥାଟା ନିତାନ୍ତ ମିଛ ନୁହେଁ, ଏ କଥା ମୁଁ ମାନୁଛି । ବେଳେବେଳେ ମୁଁ ବିରାଡ଼ିଟାଏ ବା କୁକୁରଟାଏ, କେବେ କେବେ ଛେଳିଟାଏ ବା ବାଛୁରୀଟାଏ ମାରି ଖାଇଦିଏ । ତୁମରି ଭିତରେ ମଣିଷ ଅଛନ୍ତି, ଯେଉଁମାନେ କି ବେଳେ ବେଳେ ଗୋଟାଏ ଗୋଟାଏ ଦେଶ, ଗୋଟାଏ ଗୋଟାଏ ଜାତିକି ଗିଳି ଦେଇଛନ୍ତି ! ଲକ୍ଷ ଲକ୍ଷ ଜାତିଭାଇ ମଣିଷକୁ ଖାଇ ଶେଷ କରି ଦେଉଛନ୍ତି, ବଂଶ ଲୋପକରି ଦେଇଛନ୍ତି ! ତଥାପି ମଣିଷକୁ କେହି କହୁନାହିଁ ‘ମଣିଷ ହିଂସ୍ର ।’ ମୁଁ ଗଧିଆ ମୋର ଦାନ୍ତରେ ବିଚାର କରେ, ଦାନ୍ତରେ ମାରେ; ମାତ୍ର ମଣିଷ ମାରେ ବୁଦ୍ଧିରେ ବୁଦ୍ଧିରେ ସେ ସଂସାର ଖାଏ ।

 

‘‘ମତେ କହୁଚ ପଶୁ ? ମଣିଷ ଏକ ବିଚିତ୍ର ପଶୁ ! ସେ ଚୋରାଏ, ଡକାଏତି କରେ, ହଣାମରା କରେ, ଗ୍ରାମନଗର ଧ୍ୱଂସ କରେ, ରାଜ୍ୟ ଛାରଖାର କରେ ଏବଂ ସହସ୍ର ବର୍ଷତଳର ମୋ’ରି ଜାତିଭାଇ କୁକୁରକୁ ଲାଞ୍ଚଦେଇ, ପାଳି, ଠକି ମୋ’ରି ବିରୁଦ୍ଧରେ ଲଗାଏ !

 

‘‘ମଣିଷ ଆଉ ଗଧିଆ ଭିତରେ କିଏ ବେଶୀ ଲୋଭୀ ? ମୋର ଦରକାରବେଳେ ମୁଁ ଖାଦ୍ୟ ଖୋଜେ; କିନ୍ତୁ ମଣିଷ ଦଶ-ପଚାଶ ବର୍ଷ ପାଇଁ ଖାଦ୍ୟ ଜମାଇ ରଖେ । ଦିନକେ ପାଞ୍ଚଥର ଖାଏ । ଭୋକ କଲେ ମୁଁ ଖାଏ; କିନ୍ତୁ ମଣିଷ ଖାଏ ଖାଇବାବେଳ ହେଲା ବୋଲି । ମୁଁ ପ୍ରେମ ଅନୁଭବ କଲେ ପ୍ରେମକରେ; କିନ୍ତୁ ମଣିଷ ପ୍ରେମକରେ ସମୟରେ ଓ ଅସମୟରେ, ସତରେ ଏବଂ ଛଳନାରେ । ଖାଦ୍ୟ ପାଖରେ ଗୋଟାଏ ଗଧିଆ ଭୋକରେ ବସି ରହେ ନାହିଁ; କିନ୍ତୁ ଗରିବ ମଣିଷ ଚାହିଁଥାଏ ଧନୀ ମଣିଷର ଭଣ୍ଡାରକୁ ଉପାସରେ । ତଥାପି ମୁଠାଏ ପାଏ ନାହିଁ । ପଶୁପକ୍ଷୀଙ୍କ ଚମ, ରୁମ, ହାଡ଼, ଶିଙ୍ଗରେ ମଣିଷ ତା’ ପ୍ରଣୟନୀ ପାଇଁ ପୋଷାକପତ୍ର, ସୌଖିନ ଜିନିଷ ତିଆରି କରେ, ମଲାମୁଣ୍ଡକୁ ଘରେ ସଜେଇ ରଖେ; କିନ୍ତୁ ମୋର ତ ପୁଣି ଜଙ୍ଗଲ ଭିତରେ ପ୍ରଣୟିନୀ ଅଛି, କହ ତ ମୁଁ କେତୋଟା ମଣିଷ ଚମରେ ତା’ ପାଇଁ ପୋଷାକ କରିଚି ? କେତୋଟା ମଣିଷମୁଣ୍ଡ ମୁଁ ସଜାଇ ସାଇତି ରଖିଚି ? କେତେଟା ମଣିଷ ହାଡ଼ରେ ତା’ ପାଇଁ ଅଳଙ୍କାରପତ୍ର ଗଢ଼ିଚି ! ହେ ଭଗବାନ ! ମଣିଷ କେବେ ଗଧିଆ ପାଲଟିବ, ସଂସାରରେ ସମସ୍ତେ ସ୍ୱାଧୀନ ହେବେ, ଶାନ୍ତିରେ ରହିବେ, ସତ୍ୟରେ ଚଳିବେ !’’

 

ଏ କଥା ଗାଁବାଲା ରାତିରେ ସ୍ୱପ୍ନରେ ଶୁଣି ସକାଳୁ କୁହାକୁହି ହେଲେ–

 

‘‘ଏ ସ୍ୱପ୍ନ ନା ସତ୍ୟ ? ଆମେ ସବୁ ମଣିଷ ନା ଗଧିଆ ?

Image